Unknown

କବିତା ମଞ୍ଜରୀ

ଶ୍ରୀ ରାମକୃଷ୍ଣ ସାହୁ

 

ଭୂମିକା

ଭାଷାଗୁରୁ ରାଧାନାଥ ଓ ମଧୁସୂଦନଙ୍କ ଲିଖିତ କବିତାଗୁଡ଼ିକ ଛାଡ଼ିଦେଲେ, ଆଧୁନିକ ଯୁଗରେ ପାଠ୍ୟ ପୁସ୍ତକମାନଙ୍କରେ ଯେଉଁ ସମସ୍ତ କବିତା ଦିଆଯାଉଅଛି, ସେଗୁଡ଼ିକର ଭାଷା ଅତି ସହଜ ଏବଂ ସ୍ଥଳବିଶେଷରେ ଗ୍ରାମ୍ୟ । ଗ୍ରାମ୍ୟ ଏବଂ ଅତି ସହଜ ଭାଷାରେ କବିତା ଯେ ଲେଖା ନ ହେବ, ତାହା ନୁହେଁ-ମାତ୍ର ପାଠ୍ୟପୁସ୍ତକସ୍ଥ କବିତାମାନଙ୍କରେ ଭାଷା ଓ ଭାବ ଦୁଇଟି ଏକାନ୍ତ ଆବଶ୍ୟକ । କାରଣ, ଛାତ୍ରମାନଙ୍କର ବିଷୟଶିକ୍ଷା ଯେପରି ଏକାନ୍ତ ପ୍ରୟୋଜନୀୟ-ଭାଷାଶିକ୍ଷା ମଧ୍ୟ ତଦ୍ରୂପଶିକ୍ଷାର ଗୋଟିଏ ପ୍ରଧାନ ଅଙ୍ଗ । ତଥାପି ଭାବ-ଗାମ୍ଭୀର୍ଯ୍ୟସମ୍ୱଳିତ ଗୁରୁଭାଷାଯୁକ୍ତ କବିତା ଏକାବେଳକେ ଲେଖା ନ ହେଉଥିବାରୁ, ଅଧିକାଂଶ ଛାତ୍ର ଏବେ ଆଉ କଠିନ ଭାଷା ବୁଝିପାରୁ ନାହାନ୍ତି । ରାଧାନାଥ, ମଧୁସୂଦନଙ୍କ ରଚିତ ପୁସ୍ତକଗୁଡ଼ିକ ସେହି ହେତୁରୁ ଏପର୍ଯ୍ୟନ୍ତ ମଧ୍ୟ ବିଦ୍ୟାଳୟମାନଙ୍କରେ ଚଳି ଆସୁଅଛି ।

 

ବର୍ତ୍ତମାନ ଯୁଗରେ ମୁଁ ଏହି ଅଭାବ ଅନୁଭବ କରି ଏଥିଲିଖିତ କବିତାଗୁଡ଼ିକରେ ଉଭୟ ରକ୍ଷା କରିବାକୁ ଯତ୍ପରୋନାସ୍ତି ଯତ୍ନ କରିଅଛି । ଏଥିରେ କେତେଦୂର କୃତକାର୍ଯ୍ୟ ହୋଇଅଛି, ତାହା ସହୃଦୟ ପାଠକବର୍ଗ ବିଚାର କରିବେ ।

 

ବିଶେଷତଃ, ଶ୍ରୀଯୁକ୍ତ ରାଜା ବାହାଦୁରଙ୍କ ବରାଦମତେ ଏଥିରୁ ଅଧିକାଂଶ କବିତା ରଚିତ-। ସେ ମୋତେ ଉତ୍ସାହିତ କରିବା ଲାଗି ଏଭଳି ବରାଦ କରିଥାନ୍ତି । ଏଥିଲାଗି ମୁଁ ତାଙ୍କ ନିକଟରେ ଚିରକୃତଜ୍ଞ ।

 

ରାଜକୁମାରମାନଙ୍କ ଗୃହଶିକ୍ଷକ ରୂପେ ଥାଇ ଏଥିମଧ୍ୟରୁ ଅଧିକାଂଶ କବିତା ସେମାନଙ୍କୁ ପଢ଼ାଇଅଛି । ବର୍ତ୍ତମାନ କେତେକ ବନ୍ଧୁଙ୍କ କର୍ତ୍ତୃକ ଉତ୍ସାହିତ ହୋଇ ସମସ୍ତ କବିତା ପୁସ୍ତକାକାରରେ ପ୍ରକାଶ କଲି । ଏହାଦ୍ୱାରା ଛାତ୍ର ଓ ପାଠକମାନଙ୍କର କିଞ୍ଚିତ୍‌ ଉପକାର ସାଧିତ ହେଲେ, ଶ୍ରମ ସଫଳ ଜ୍ଞାନ କରିବି ।

 

ପରିଶେଷରେ ଯେଉଁ ବନ୍ଧୁମାନଙ୍କ କର୍ତ୍ତୃକ ଉତ୍ସାହିତ ହୋଇ ମୁଁ ଏହାକୁ ପୁସ୍ତକାକାରରେ ପ୍ରକାଶ କଲି ସେମାନଙ୍କୁ ମୋର ହୃଦୟର ଗଭୀର କୃତଜ୍ଞତା ଜ୍ଞାପନ କରୁଅଛି ।

 

୧।୭।୧୯୩୮

 

ହିନ୍ଦୋଳ

ପ୍ରଣେତା

 

ସୂଚୀପତ୍ର

ବିଷୟ

ଭାରତୀ ଆବାହନ

ବିଜନତା ପ୍ରତି

ପ୍ରେମ ପ୍ରତି

ମନ ପ୍ରତି

ମର-କଳେବର

ସିନ୍ଧୁପ୍ରତି

ସ୍ୱପ୍ନ

ସ୍ତୁତି

 

ଭାରତୀ ଆବାହନ

(ରସକୁଲ୍ୟା)

(୧)

ଦିବ୍ୟ ଧାମୁଁ ଚଢ଼ି ପବିତ୍ର ଯାନେ,

ଆସ ମା ଭାରତି, ବୀଣା-ସୁତାନେ,

ସେ ମନ୍ଦ୍ର ମଧୁର ବୀଣା-ଝଙ୍କାରେ,

ମାତୁ ଏ ଭାରତ ନବ ଆଶାରେ,

ରମ୍ୟ ମୂରତି ପାବନ,

ଶତବର୍ଣ୍ଣ-ନବ-କୁସୁମରେ ହସୁ-

ଦର୍ଶନେ ହୃଦ-କାନନ ।

(୨)

ଧବଳ ଚିନାଂଶୁ-ଧ୍ୱଜା ଉଡ଼ାଇ,

ନାଶ ମା ଅଜ୍ଞାନ-ତମ-ବଡ଼ାଇ;

କରୁଣା-ଜଳଧି ଦିଅ ଗୋ ଫେଇ ।

ଖେଳୁ ରମ୍ୟ-ବୀଚି ସମୀର ନେଇ;

ହେଉ ହୃଦ ଉଚ୍ଛ୍ୱସିତ-

ନୀଳ ବ୍ୟୋମେ ଶୁଭ୍ର-      ଆଭ୍ରୋପମ କର

ଧବଳ-ଯଶେ ମଣ୍ଡିତ ।

 

(୩)

ସୁଧା-ଦର-ହାସ ପ୍ରଭା ବିସ୍ତାରି

କୋଟି-ମାନସେ ଆଲୋକ ସଞ୍ଚାରି,

କୁମୁଦିନୀ-ବନ ଅତି ଉଲ୍ଲାସେ,

ଚାହିଁଛନ୍ତି ତୋହ ଚରଣ ଆଶେ ।

ପୂଜିବୁଁ ସେହି ସୁମନେ ।

ତୋହ ପ୍ରସାଦରୁ            ଲଭିବୁଁ ଗୋ ମାତ

ନବ ବଳ ଦେହେ, ମନେ ।

 

(୪)

କୋମଳ ମଳୟ ସମୀର ସଙ୍ଗେ,

ବିଜେ କର ମହୀକି ନବରଙ୍ଗେ ।

ନବ ପଲ୍ଲବିତା ସାହିତ୍ୟ-ଲତା,

ଫଳ-କୁସୁମେ ହୋଇ ଅବନତା,

କଞ୍ଜ-ବାସିନୀ ତୋ’ ପଦେ,

ନବ ଅନୁରାଗେ            ନବ ସ୍ତୁତି କରି

ପୂଜିବ ସେହି ସମ୍ପଦେ ।

 

 

 

(୫)

କାନ୍ତାର-କନ୍ଦରା-ବନ-ପର୍ବତ,

ଶତ ଉପଦେଶ ଉଭା ସତତ,

ତୋ’ କୃପା-କଟାକ୍ଷେ ଅଛନ୍ତି ଚାହିଁ,

ନବ-ଭାରତେ ବିତରିବା ପାଇଁ,

ଦିଅ ନେତ୍ର ବାରେ ଫେଇ,

ପୁଣ୍ୟ-ପ୍ରବାହିନୀ            ଧର୍ମ-କର୍ମ-ସ୍ରୋତେ

ଭସାଅ ପରାଣ ନେଇ ।

 

(୬)

ମୋହ-ଅନ୍ଧକାର ତାମସୀ ବଳେ,

ନୈରାଶ୍ୟ ପ୍ରଦୀପ ଜଳେ ପ୍ରବଳେ;

ଆସୁ ପ୍ରଭଞ୍ଜନ ଭୀମ-ମୂରତି,

ସମୂଳେ ନିର୍ବାଣ କରୁ ତଡ଼ତି ।

ବିକୀର ମା ଦିବ୍ୟ ଜ୍ୟୋତି ।

ପାହି ଯାଉ ଘୋର            ମୋହ-ନିଶିଥିନୀ

ପାଇ ସମୁଜ୍ଜ୍ୱଳ ଦ୍ୟୋତି ।

 

 

 

(୭)

ମଧୁ-ଗନ୍ଧ-ଅନ୍ଧ-ମଧୁପ-କୁଳ,

ଗୁଞ୍ଜନ୍ତି ମଧୁରେ ହୋଇ ପ୍ରଫୁଲ୍ଲ ।

ସେ ଗୁଞ୍ଜନେ ଭାଙ୍ଗି ଯାଉ ଶୟନ-

ଫିଟୁ ଜନତାର ଜ୍ଞାନ-ନୟନ ।

ନବ ହର୍ଷେ ନବ ରୋଳ ।

ଆଶ-ସଙ୍ଗୀତର,            ଉଠୁ ଜ୍ୟୋତିର୍ମ୍ମୟି

ଗାଆନ୍ତି ହୋଇଣ ଭୋଳ ।

 

(୮)

ଆସ ମା ବଜାଇ ସେ ବୀଣା କରେ,

ରାମ-ରସେ ବାଲମୀକି ସ୍ୱକରେ ।

ମଧୁର କାବ୍ୟ-ଛନ୍ଦେ କାଳିଦାସ,

ତ୍ରିଷ୍ଟୁପ-ଗାୟତ୍ରୀ ଛନ୍ଦରେ ବ୍ୟାସ,

ବଜାଇ ସପତ-ସ୍ୱରେ,

ପ୍ରେମାଶ୍ରୁ ଗଡ଼ାଇ            ନୟନ ଯୁଗଳୁଁ

ନାଚୁ ଥିଲେ ତୋହ ବରେ ।

 

 

 

 

(୯)

କାଳ ଦେହେ ଖୋଳି କୀରତି-ଯନ୍ତ୍ରେ

ରଖିଲେ ଭାରତେ ଅମର ମନ୍ତ୍ରେ-

ସେ ପୁଣ୍ୟ, ପବିତ୍ର ମନ୍ତ୍ରରେ ସଦା

ପୂଜିବୁଁ ତୋ’ ପଦ ହୁଅ ବରଦା,

ଗୁନ୍ଥିଛୁଁ ଭକ୍ତି-ସୁମନ-

ଦେବୁଁ ମାଳ ମାଳ            ଗଳାରେ ଲମ୍ୱାଇ

ଆସ ଭାରତି, ବହନ ।

 

(୧୦)

ରବି-ଗ୍ରହ-ଚନ୍ଦ୍ର-ନକ୍ଷତ୍ର-ପନ୍ତି,

ସରବେ ତୋତେ ଅନାଇଁ ଅଛନ୍ତି,

ରଶ୍ମି ଆଭରଣେ ତୋ’ ଅପଘନ,

ମଣ୍ଡିବେ ସୃଜି ତାଣ୍ଡବ ବହନ ।

ସ୍ୱର୍ଗୁଁ ହେବ ପୁଷ୍ପ-ବୃଷ୍ଟି ।

ପ୍ରେମ-ଅଶ୍ରୁ-ଛଳେ            ତଟିନୀ ବହିବ

ପୁଲକି ଉଠିବ ସୃଷ୍ଟି ।

 

 

 

 

(୧୧)

ବହିବ ଏ ପ୍ରାଣେ ନବ ବସନ୍ତ,

ରଟିବ ପଞ୍ଚମେ ପିକ ସତତ;

ବସି ମଞ୍ଜୁଳ ଲତା-ଦୋଳାସନେ,

ପ୍ରକୃତି ସୁନ୍ଦରୀ ସ୍ମିତ ବଦନେ,

ଭାବୁକ ମାନସ-ପଦ୍ମ

ହସ୍ତେ ଧରି କ୍ରୀଡ଼ା            ବିରଚିବ, ଧରା-

ହେବ ସୌନ୍ଦର୍ଯ୍ୟର ସଦ୍ମ ।

 

(୧୨)

ଫିଟାଇ ଅତୀତ-ସ୍ୱର୍ଗ-ସଂସାର,

ଦେଖା ମା ସେ ରତ୍ନ-ପଦ୍ମ-କାସାର-

ଧୀର ସମୀରଣେ ଦୋହଲି ଧୀରେ,

ତରଙ୍ଗ-ରଙ୍ଗରେ ଖେଳନ୍ତି ନୀରେ,

ପୁଣ୍ୟ-ପ୍ରଭା-ସମୁଜ୍ଜ୍ୱଳ,

ପୂଜିବେ କମଳେ            ତୋ ଚରଣ-ଯୁଗ

ଲଭିବେ ତୋ’ ସୁତେ ବଳ ।

 

 

 

 

(୧୩)

ନୀରସ ମାନସ, ମା ବାକ୍ୟରାଣି,

ଅକିଞ୍ଚନ ସୁତେ ଗୋ ବୀଣାପାଣି,

ଦିଅ ଗୋ ଉତ୍ସାହ ସାହସ ଆଣି,

ଘୋଷିବୁଁ ସାମ୍ୟ ମହା ମନ୍ତ୍ର-ବାଣୀ

ନୋହୁ ତୋ’ କରୁଣା ଊଣା,

ତୋହ କୃପାବଳେ            ଅଙ୍କୁରଇ ବୀଜ

ଉଷରେ ହେଲେହେଁ ବୁଣା ।

 

(୧୪)

ଅଭିନବ ବେଶେ ଦିଗ-ଅଙ୍ଗନା

କରିବେ ତୋ ପାଦ-ପଦ୍ମ ବନ୍ଦନା ।

ତୋ ମହା ଅସ୍ତିହ-ସାଗର ଗର୍ଭେ,

ମଜ୍ଜିବୁ ଅସ୍ମିତା ତେଜି ସରବେ,

ଦିଅ ମାତ ଏହି ବର ।

ଶୁଷ୍କ-ଆଶା ପ୍ରାଣ            ହେବ ପଲ୍ଲବିତ-

ଓହ୍ଲାଇ ଆସ ସହର ।

 

 

 

 

(୧୫)

ଶିଖା ମା ! ଶିଖା ମା ! ଏ ପୁଣ୍ୟ ସିଦ୍ଧି,

ଘରେ ଘରେ ହେଉ ତୋ ପୂଜାବିଧି,

ଫିଟିବ ଉନ୍ନତି-କିଳା-କପାଟ ।

ତୋ’ ସୁତେ ତୋ’ ଦେହେ ମଣ୍ଡିବେ ପାଟ ।

ନମୁଁ ଅଛୁଁ ତୋ ପୟରେ

ତୋହ ନାମ ଗାଇ            ଜୀବ ଏ ପରାଣ

ଲଭିବୁଁ ସର୍ବ ତୋ ବରେ ।

 

ବିଜନତା ପ୍ରତି

(୧)

ସର୍ବ ଆଶ୍ରୟ ଭୂତା            ତୁହି ଲୋ ବିଜନତା,

ତୋ ରୂପ ଜଗତ-ମୋହନ,

ଅଛି କିଏ ଜଗତେ            ନ ଭଜେ ଯେହୁ ତୋତେ ?

ବନ୍ଧା ତୋ ଠାରେ ମନ ।

ଜଗତ କଥା ତୋତେ ଜଣା,

ନ ଭଜେ ଯେ ହୁଏ ସେ ବଣା ।

ଦେଉ ତୁ ଶୁଭ ବୁଦ୍ଧି,            ସାଧନା କରୁ ସିଦ୍ଧି,

ଶିଖାଉ ସକଳ ମନ୍ତ୍ରଣା ।

(୨)

ଭକତ-ଚିନ୍ତାମଣି            ପ୍ରଭୁ ଶ୍ରୀ ଚକ୍ରପାଣି

ତୋ’ ପ୍ରତି ସଦା ଅନୁରକ୍ତ;

ପରମ ଆନନ୍ଦରେ            ସେ ପରମାନନ୍ଦରେ

ତୋ କୃପାବଳୁଁ ଲଭେ ଭକ୍ତ ।

ଭଜେ ପୁଲକ କି ପ୍ରେମରେ !

ପ୍ରେମାଶ୍ରୁ ପଡ଼େ ତୋ’ ଉପରେ ।

ପ୍ରେମେ ସ୍ତବ-କରଣ            ପ୍ରେମେ ଭୂମି-ଲୁଣ୍ଠନ

ଅଙ୍କିତ ତୋହରି ବକ୍ଷରେ ।

 

(୩)

କଳପନା ସୁନ୍ଦରୀ            ଅଟେ ତୋ ସହଚରୀ

କବି-ହୃଦ-ବନ-ବାସିନୀ,

ତୋହରି ପରଶରେ            କବି-ହୃଦୟ-ସରେ

ଫୁଟେ ସ୍ୱର୍ଣ୍ଣମୟ ନଳିନୀ ।

ସେ ପଦ୍ମେ ପଦ୍ମ-ବିଳାସିନୀ,

ଅଜ୍ଞାନ-ତମ-ବିଧ୍ୱଂସିନୀ ।

ପ୍ରେମେ ଭକତି-ଭରେ            ପୂଜି ବାଣୀ-ପୟରେ

ଜନ୍ମାଏ ଆଶା ଉବ୍ଦୋଧିନୀ ।

 

(୪)

ନ ପାଇ ସାହା କାହିଁ            ଯେ କାଳେ ଯାଏ ଗାଇ

କ୍ରନ୍ଦନ-ସ୍ୱରେ ଦୁଃଖୀ ଦୁଃଖ,

ହୃଦସ୍ପର୍ଶୀ ବେଦନା            ତୋ’ଠାରେ ହୁଏ ଘେନା

ଦର୍ଶନେ ତା’ ବିଷାଦ ମୁଖ ।

ଆଦରେ କରି ଆଲିଙ୍ଗନ,

ପ୍ରଦାନୁ ସାନ୍ତ୍ୱନା ବହନ;

ସହି ନ ପାରି ଘନେ            ପ୍ରତିଧ୍ୱନି ବଚନେ

କାତରେ କରୁ ତୁ କ୍ରନ୍ଦନ ।

 

(୫)

ରାଜ-ଶାସନ-ରଥେ            ନିତି ବସୁ ପୁରତେ

ହୋଇଣ ପ୍ରବୀଣ ସାରଥି ।

ନୀତି-କୌଶଳ-ଦାନେ      ତୋ’ ସମ କେ ଭୁବନେ ?

ଦେଉ ତୁ ହୃଦୟେ ସୁମତି ।

ଫିଟାଉ ତୁ ଜ୍ଞାନ-ନୟନ,

ତୁଟାଉ ଭ୍ରମ-ପ୍ରବନ୍ଧନ,

ବସି ତୋ ମହାକୋଳେ      କେ ଭାସେ ପ୍ରେମ-ଜଳେ

ଦେଖାଉ କି ଦୃଶ୍ୟ ମୋହନ ।

 

(୬)

ତୋ’ ଗମ୍ଭୀର କ୍ରୋଡ଼ରେ            ସରସ୍ୱତୀ-ତଟରେ

ଯେ କାଳେ ବ୍ରହ୍ମ-ଋଷିଗଣ

କଳ୍ପନା-ପରାବାରେ            ମଜ୍ଜିଣ ସ୍ୱଚ୍ଛ ନୀରେ

ଆନନ୍ଦେ କଲେ ସଂଗ୍ରହଣ,

ବିଶ୍ୱ-ସୃଷ୍ଟି-ତତ୍ତ୍ୱ-ରତନ,

କାହିଁ ତୋ’ ସେ ଛବି ମୋହନ ?

ଯେତେ ନବ ବେଶରେ      ନାଚୁଥିଲୁ ପାଶରେ

ନିରେକ୍ଷି ସେ ଧ୍ୟାନ-ନୟନ ।

 

(୭)

ଶ୍ରୀରାମ-ମନୋରମା      ଜନକ-ରାଜ-ଜେମା

ଭାଗୀରଥି-ତୀର-କାନନେ,

ହୋଇଣ ନିର୍ବାସିତା            ପରମ ସ୍ୱାଧ୍ୱୀ ସୀତା

ଝୁରୁଥିଲେ ଭୂମି-ଆସନେ,

ଥାଇ ଯେଉଁ ପବିତ୍ର କୋଳେ,

ଶ୍ରୀ ରାମମୟ, ବିଶ୍ୱଭୋଳେ,

କାହିଁ ସେ ମଧୁମୟ            କୋଳ ତୋର ଅଭୟ

ଦିଶୁଥିଲା ଯା ତାଙ୍କ ଡୋଳେ ।

 

(୮)

କ୍ଷିତ୍ୟପ୍‌-ତେଜ-ମରୁତ-      ବ୍ୟୋମ ଏ ପଞ୍ଚ ଭୂତ

ନ ଥିଲା ସୃଷ୍ଟି କା’ର କାହିଁ,

ତୋର ସେ ଭୀମକାନ୍ତ      କୋଳେ ଯେବେ ଅନନ୍ତ

ବିହରୁ ଥିଲେ ସୁଖେ ଥାଇ ।

ଦେଖିଲୁ ସୃଷ୍ଟି-ପ୍ରାକାଳରେ,

ତୋହରି ଅନନ୍ତ କୋଳରେ,

ଅନନ୍ତ ବସ୍ତୁମାନ            କେହ୍ନେ କଲା ସ୍ଥାପନ

ବିଧାତା ଗଢ଼ିଣ ସ୍ୱକରେ ।

 

(୯)

କେତେ ମନସ୍ୱୀ ବୀର      କବି ଯଶସ୍ୱୀ ଧୀର

ଜନମ ଲଭି ଶୁଭକ୍ଷଣେ,

ଘଟନା-ଚକ୍ରେ ପଡ଼ି            ଯାଇ ଅଛନ୍ତି ଗଢ଼ି

ଆଦର୍ଶ ମୁରତି ଜୀବନେ,

ଆଶ୍ରିଲେ ଛାଡ଼ି ମର-ଧାମ ।

ତୋ କୋଳେ, ମାତ୍ର ରଖି ନାମ,

ଅମର ଯଶୋବୀର-      ମଣ୍ଡିତ, କୋଳ ତୋର

କାହିଁ ସୁଖଦ, ଅଭିରାମ ।

 

(୧୦)

ଜଗତ-କୋଳାହଳ            ତୋ’ ନେତ୍ରେ ହଳାହଳ

ନ ପାରୁ କ୍ଷଣେ ତହିଁ ରହି,

ନୀରବ ବନ ଘୋର            କିବା ମରୁ-ପ୍ରାନ୍ତର-

ବାଲିଶଯ୍ୟା ଆବର ଯହିଁ ।

ଅଟେ ତୋ ଚିର କ୍ରୀଡ଼ା ଗାର,

ପ୍ରକୃତି ତୋ ସଙ୍ଗିନୀ ସାର

ହୋଇଣ ଶୋଭା ମୁଗ୍ଧା            ବହି ଶୋଭା ବିଶୁଦ୍ଧା

ତୋ ସଙ୍ଗେ କରଇ ବିହାର ।

 

(୧୧)

ଏହି ଯେ ଅନମ୍ୱର            ଅନନ୍ତ ସୀମା ଯାର

ପିନ୍ଧାଇ ତୋତେ ନୀଳବାସ

ନକ୍ଷତ୍ର-ପୁଷ୍ପମାଳେ            ମଣ୍ଡିତୋ’ ଉର ଭାଲେ

ଜନ୍ମାଏ କି ଭାବ-ଉଲ୍ଲାସ !

ନୀରବ ସ୍ତବ୍ଧ ନିଶିଥିନୀ,

କୌମୁଦୀ-ବସନ-ଶୋଭିନୀ ।

କେଡ଼େ ଉଚ୍ଚାଟ-ଭରେ      ଚାହେଁ ଧନୀ ପ୍ରେମରେ

ହେବାକୁ ତୋହରି ସଙ୍ଗିନୀ ।

 

(୧୨)

ଅଗ୍ନି-ଧୂମ-ଉଦ୍ଗାରୀ            ଅଭ୍ରଂଲେହନକାରୀ

ସୃଷ୍ଟି କାଳୁଁ ଦୃଷ୍ଟି ଅତୀତ ।

ଅଟଇ ଶିଖା ଯାର            କରି ଭୀମ ହୁଙ୍କାର

ସଦା ଯହୁଁ ଶୀଳା ସ୍ଖଳିତ ।

ସେ ଗିରିବର ଭୟଙ୍କର

ଖଟେ ତୋ ପଦେ ନିରନ୍ତର

ଶିଖରୀ ଶିଖେ ଯା’ର      ଶୋଭେ ଶୁଭ୍ର ତୁଷାର

ମଣ୍ଡଇ ସେ ତୋ କଳେବର

 

(୧୩)

ଗିରିବର କନ୍ଦରେ            ଲଭି ଜନମ ଖରେ

ତୋ କର୍ଣ୍ଣେ କହି କି ସନ୍ଦେଶ ।

ବନ-ଗିରି-କାନ୍ତାର            ଯତନେ ହୋଇ ପାର

ଚଳଇ ଘେନି ତୋ’ ଆଦେଶ ।

ଉଲ୍ଲାସମୟୀ କଲ୍ଲୋଳିନୀ

କି ମନ୍ତ୍ରେ ହେଉ ତୁ ଦାୟିନୀ;

ସରିତ-ପତି ଅଙ୍ଗେ            ମିଶି ଯାଏ ସେ ରଙ୍ଗେ,

ଗାଇ ତା ଦିବସ ରଜନୀ ।

 

(୧୪)

ଭଗ୍ନ ସୌଧ-ମନ୍ଦିର            ପୂର୍ବତନ କୀର୍ତ୍ତିର

ଆଜି ଯା ଅଟେ ନିଦର୍ଶନ-

ଧର୍ମ୍ମ-ଜଗତେ ଏକ            ମାନବ ବୋଲି ଟେକ

ହେଉଥିଲା ଯହିଁ ଧ୍ୱନନ,

କାହିଁ ସେ ମୈତ୍ରୀ-ମନ୍ତ୍ର-ଦାନ ?

ଅଛି କି ତୋ’ କୋଳେ ସେମାନ ?

ଢାଳିଣ କୃପା-ବିନ୍ଦୁ            ଦେଖା ସେ ଯଶଃସିନ୍ଧୁ

ଉଠିବ ପୁଲକି ଏ ପ୍ରାଣ ।

 

(୧୫)

ଏ ଭବଲୀଳା ଖେଳା      କାଟି କରିବି ଭେଳା

ଅନ୍ତେ ମୁଁ ତୋ ପରମ କୋଳେ ।

ମାଗୁଛି ଦେବୁ ଏତେ      ସ୍ଥାନ ପାଇ ଏକାନ୍ତେ

ପୂଜିବି ବସି ମୁଁ ନିରୋଳେ,

ସେ ପ୍ରଭୁ ଶ୍ରୀପଦ-ରାଜୀବ,

ସକଳ ସଂଶୟ ଭାଜିବ-

ଦେବେ ସେ ପରମେଶ      ମୋତେ ଶୁଭ ଆଶୀଷ

ଆନନ୍ଦେ ପରାଣ ମଜ୍ଜିବ ।

 

ପ୍ରେମ ପ୍ରତି ।

(୧)

କି ନବ ମଧୁ ଛାଞ୍ଚେ ଢଳା ତୋ ତନୁ !

ଅଲକ୍ଷ୍ୟେ ଥାଉ ମାତ୍ର ନ ଯାଉ ମନୁ !

ଜଗତ ବଶ ସିନା ତୋହରି ମନ୍ତ୍ରେ !

ଟାଣୁ ତୁ ଜଗତର ହୃଦୟ-ତନ୍ତ୍ରେ ।

 

(୨)

ସାଧନା-ସିଦ୍ଧିର ତୁ ଅଟୁ ସମ୍ୱଳ ;

ଭକତ ଭକ୍ତି-ପଥ କରୁ ନିର୍ମଳ ;

ଭକତ ଚିନ୍ତାମଣି ଦୀନ ବାନ୍ଧବ ।

ସ୍ୱର୍ଗୀୟ-ହୃଦ-ଗଣ୍ଠି-ହାରା-ବିଭବ ।

 

(୩)

ଲିଭି ଭକତ ଅଶ୍ରୁସିକ୍ତ ପାଟଳ,

କରଇ କି ପ୍ରେମରେ ତା ଗଣ୍ଡ ସ୍ଥଳ,

ଫୁଟେ ପ୍ରେମ-କମଳ ତହୁଁ ତା’ ହୃଦେ ।

ପୂଜଇ ବିଭୁପାଦ ଅର୍ପି ସୁହୃଦେ ।

 

(୪)

କରୁଣା-ବାରି ତହୁଁ ଆସଇ ବହି,

ନିଖିଳ ଭୁବନରେ ବ୍ୟାପି ରହଇ,

ଆତ୍ମା, ପରମ-ଆତ୍ମା ମହା ମିଳନ-

ତୋ’ ଯୋଗୁଁ ଭବେ ସିନା ଲଭେ ସୁଜନ ।

 

(୫)

ଜଗତ ବନ୍ଧା ତୋହ ପ୍ରୀତି-ସୂତ୍ରରେ,

ତୋ ବିନୁ କିଏ ଚଳି ପାରେ ଭବରେ ?

ପ୍ରେମ ତୁ ସର୍ବୋନ୍ନତି ଆଦି-କାରଣ,

ତୋତେ ବାରିଲେ କରୁ ନାହିଁ ବାରଣ ।

 

(୬)

ପ୍ରେମେ ବରଷେ ନୀଳ-ନୀରଦ-ଜଳ,

ପ୍ରେମ ସେ ସତ୍ୟ-ସୂତ୍ରେ ସଦା ଅଟଳ ।

ପ୍ରେମରେ କଲ୍ଲୋଳିନୀ କଲ୍ଲୋଳେ ବାଇ,

ଇଚ୍ଛି ସାଗର-ପ୍ରତି ଆସଇ ଧାଇଁ ।

 

 

 

 

(୭)

ତୋଳି ତରଙ୍ଗ ଊର୍ଦ୍ଧ୍ୱେ ଗାଢ଼େ ଆଲିଙ୍ଗି,

ପ୍ରେମେ ସମର୍ପି ଦିଏ ହୃଦୟ ଫିଙ୍ଗି ।

ପ୍ରେମ ମହାନେ କ୍ଷୁଦ୍ର, କ୍ଷୁଦ୍ରେ ମହାନ,

କୁତ୍ସିତେ ସୁଶ୍ରୀ ସର୍ବ କରେ ସମାନ ।

 

(୮)

ବିଧାତା-ପ୍ରେମ-ସମ୍ଭବ ଏ ଭବନ,

ପ୍ରେମେ ଉତ୍ଥିତ ତହୁଁ ଲତିକାଗଣ ।

ପ୍ରେମେ ବିକଶି ତହୁଁ ପ୍ରସୂନାବଳୀ,

ପ୍ରେମେ କ୍ରୀଡ଼ନ୍ତି ବାୟୁ ଲହରେ ଢଳି ।

 

(୯)

କୌତୁକେ ପ୍ରେମ-ସମୀରଣ ପରଶି,

ସୁଗନ୍ଧ ପରାଗରେ ବିଳସେ ହସି;

ତୁହିରେ ପ୍ରେମ ପର-ହୃଦୟ-ଚୋର,

ପରାପର ଭେଦ କି ନାହି ନା ତୋର ?

 

 

 

 

(୧୦)

ହୃଦୟ-ପବିତ୍ରତା-ରତନ-ଖଣି,

ତା’ ମଧ୍ୟେ ବିରାଜୁ ତୁ ଯେସନେ ମଣି ।

ତୋ’ ବିନା ନୀରସ ଏ ହୃଦୟ-ସର,

ଯେସନ ସାର-ଶୂନ୍ୟ ମହା ଉଷର ।

 

(୧୧)

ଅସ୍ମିତା ଲୋପେ ଅଛି ତୋହର ବଳ,

ତୋତେ ପରଶି ଆତ୍ମା ହୁଏ ବିହ୍ୱଳ ।

ଚେତନା-ମନ୍ଦିରରେ ପଶୁତୁ ଯେବେ,

କେଉଁ ଅଗମ୍ୟେ ଯାଇ ଭ୍ରମେ ସେ ତେବେ ।

 

(୧୨)

ତୋ’ ବଳେ ବଳୀ ଭବେ ବଳ-ବିହୀନ,

ଲଙ୍ଘି ଅଲଙ୍ଘ୍ୟ ଅଗ୍ରେ ହୁଏ ଆସୀନ ।

ଦିଶେ, ତୋ’ ଜ୍ୟୋତି ଯେବେ ହୃଦ ପରଶେ,

ଜ୍ୟୋତିରାଲୋକେ ଯେହ୍ନେ ଭୁବନ ହସେ ।

 

 

 

 

(୧୩)

ନିତ୍ୟ, ଶୁଭଦ, ପୁଣ୍ୟ, ପ୍ରେମ ସୁନ୍ଦର,

ସଦ୍ଗୁଣ-ଗଣ ସଦା ତୋ’ ଅନୁଚର ।

ଗାୟକ-କଣ୍ଠୋଥିତ ଭାବ-ଗୁମ୍ଫିତ,

ବାୟୁ-ଲହରେ ଭାସେ ଗୀତ-ସରିତ-

 

(୧୪)

ସେ ପ୍ରେମାମୃତ-ସ୍ରୋତ ପଶି ଶ୍ରୁତିରେ,

ଆବେଗେ ଉଲ୍ଲସାଏ ପ୍ରେମେ ଛାତିରେ ।

ଭାତୁକ ହୃଦୁଁ ଉଠେ ଭାବ-ଲହରୀ,

ହୃଦୟ ରନ୍ଧ୍ରେ ରନ୍ଧ୍ରେ ଯାଏ ସଞ୍ଚରି ।

 

(୧୫)

ପ୍ରେମ ତୁ ରେ ! ଅନନ୍ତ ଅନନ୍ତାକାଶେ,

ରବି-ଶଶୀରେ ତୋର ଭାବ ବିକାଶେ ।

ଜଗତ ଚକ୍ଷୁରୂପୀ; ପ୍ରେମ-ବଦନେ,

ଢାଳନ୍ତି କରସୁଧା ଭବ-ଭବନେ ।

 

 

 

 

(୧୬)

ମନ୍ଦ୍ରେ ଗରଜି ଅବ୍ଧି ସକଳ ଭୁଲି,

ପ୍ରେମେନ୍ଦୁ-ଦରଶନେ ଉଠଇ ଫୁଲି ।

ମିଳନେ ବାନ୍ଧେ ଆଣ୍ଟ ତା’ ଭୋଳ ମନ

ଅତି ପ୍ରେମର ସିନା ଏ ନିଦର୍ଶନ !

 

(୧୭)

ମୃତ୍ୟୁ ସେ ପ୍ରେମମୟ ନ ହେଲେ କାହୁଁ,

ଅନ୍ତରାତ୍ମା ପ୍ରସାରି ସ୍ୱ-ମହାବାହୁ,

ପରମ-ଆତ୍ମା ସଙ୍ଗେ ଯାଆନ୍ତା ମିଶି ?

ଦିଅନ୍ତା ବୀରପ୍ରାଣ ଦିବସ ନିଶି ?

 

(୧୮)

ଫୁଟାଇ ସୁମନ ପାଦପ-ନିକରେ,

ଆସେ ରଜନୀ-ରାଣୀ ନବ ବେଶରେ ।

ଦିବସ ରଜନୀର ମଧୁ ମିଳନ,

ପ୍ରେମରେ ଦେଖଇ ବାରୁଣୀ-ଗଗନ ।

 

(୧୯)

ପ୍ରେମ ନ ଜାଣେ କାହିଁ ଦୂର ଅଦୂର ।

କାହିଁ କୁମୁଦ, କାହିଁ ସ୍ଥାନ ବିଧୁର !

କାହିଁ କମଳ ସରେ, ରବି ଆକାଶେ,

ବିନିମୟରେ ପ୍ରେମ ହୃଦେ ବିକାଶେ ।

 

(୨୦)

ସରସୀ-ନୀରେ ସୁକୋମଳ ନଳିନୀ

ତପନ-ତାପେ ନ ହୁଅଇ ତାପିନୀ ।

ମାତ୍ର ଶୀତ-ଶିଶିର-ମିଳନେ ଅତି,

ପ୍ରେମ ବିହୁନେ ନାଶ ଭଜଇ ସତୀ ।

 

(୨୧)

ବିଳସୁ ଯା’ ହୃଦେ ତୁ ପ୍ରେମ ମହାନ,

ଭାବେ ତା’ ଆତ୍ମା ହୁଏ ଦୋଦୁଲ୍ୟମାନ ।

ବାଜଇ-ହୃଦ-ତନ୍ତ୍ରୀ କି ନବ ତାନେ,

ନାଚଇ ଶୋଭା ମୂର୍ତ୍ତିମତୀ ପରାଣେ ।

 

(୨୨)

ଭଜଇ ଗିରି ପ୍ରାୟ ସ୍ଥୈର୍ଯ୍ୟ ତକ୍ଷଣ,

ଆସଇ ସାଗର-ଗାମ୍ଭୀର୍ଯ୍ୟ-ଲକ୍ଷଣ ।

କି ଅବା ମୌନ-ବ୍ରତୀ ଯୋଗୀ ପରାୟେ,

ନୀରବ ନିସ୍ତବ୍ଧତା ତା’ ପାଶେ ଧାଏଁ ।

 

(୨୩)

ନାହିଁ ତୋ ରୂପ, ରସ, ଗନ୍ଧ, ସ୍ପରଶ,

ତୋ ବିନା କାହୁଁ ଏ ବା ଲଭିବେ ଯଶ ।

ମାଗୁଛି ପ୍ରେମ ତୋ’ କରୁଣା-କଣିକା,

ଯାହା ପବିତ୍ର-ସ୍ୱଚ୍ଛ-ଶୁଭ୍ର ଚନ୍ଦ୍ରିକା ।

 

(୨୪)

ଜଗତ-ତମେ ଭରା ମୋ’ କ୍ଷୁଦ୍ର ମନ,

ତୋ’ ଆଲୋକେ ଲୋକିତ ହେଉ ବହନ-

ଜଗତ କରତା ସେ କରୁଣା-ସିନ୍ଧୁ,

ସିଞ୍ଚିବେ ତୋ କୃପାରେ କରୁଣା-ବିନ୍ଦୁ ।

 

(୨୫)

ଲଭିବ ଶାନ୍ତି ମୋର ଦଗ୍ଧ ହୃଦୟ,

ତେଜି ଏ ଭବ-ମାୟା-ମୋହ-ନିରୟ ।

ଦେବେ ରେ ପ୍ରେମାଞ୍ଜନ ସେ ନିରଞ୍ଜନ

ଦର୍ଶନେ ପାପ ତାପ, ହେବ ଗଞ୍ଜନ ।

 

ମନ ପ୍ରୀତି

(୧)

କହ କେଉଁ ବେଶେ ଗୁପତେ ବସି,

ଦେଖୁ ଅଛୁ ନାନା ରହସ୍ୟ ହସି,

ଅଗମ୍ୟେ ଗମନ            କରି ତୁହି ମନ

କିଏ ରୋଧିବ ତୋ’ ପଥ ଭରସି,

ଜଗତେ ଅଛିକେ ଏଡ଼େ ସାହସୀ ?

 

(୨)

ନର-ପଶୁ-ପକ୍ଷୀ-କୀଟ-ପତଙ୍ଗେ,

ଚରାଚରେ ଥାଉ ତୁ ସର୍ବ ସଙ୍ଗେ,

ତୋ’ ବିନା ସଂସାରେ      କିଏ ଚଳିପାରେ !

ସର୍ବେ ମତ୍ତ ତୋହ ରସ-ପ୍ରସଙ୍ଗେ ।

ସର୍ବ-ଦରଶୀ ତୁ ଚିନ୍ତା-ତରଙ୍ଗେ ।

 

(୩)

ଜଳ-ସ୍ଥଳ-ଗିରି-ବନ-କାନ୍ତାର,

ଲଙ୍ଘି ପାରୁ ହେଳେ ଖିଳ ସଂସାର ।

ତୁହି ସେ ଅନନ୍ତ            କେ କରିବ ଅନ୍ତ

ତୋ’ ବିଚିତ୍ର ଗତି ଅଟେ ଅପାର ।

ତୁ ନ ମାନୁ ଘୋର ନୈଶ ଅନ୍ଧାର ।

 

(୪)

କାହିଁ ସେହି ଭୂମା ପରମେଶ୍ୱର,

ଅନନ୍ତ ଅନ୍ତରେ ଯା ଅଗୋଚର ।

ଏ କ୍ଷୁଦ୍ର ମାନବ            ପକ୍ଷେ ଅସମ୍ଭବ

କେମନ୍ତ ରେ ସେହି ଆଦି ଈଶ୍ୱର !

ମାତ୍ର ତୁ ଆଭାସ ପାଉ ତାଙ୍କର ।

 

(୫)

ତୋହରି କନ୍ୟାରେ ଆଶା ସୁନ୍ଦରୀ,

ମରୀଚିକା-ବେଶ ଯେ ଥାଏ ଧରି ।

ମାନବ ଏ ଭବେ            ତାହାରି ଗରବେ

ମେଲି ଦିଏ ନିଜ ଜୀବନ-ତରୀ,

ସୁଖ ଦୁଃଖ କେତେ ଆଣଇ ବରି ।

 

(୬)

ତୁ ଥାଉ ଯେସନେ ବୀଜେ ଅଙ୍କୁର,

ପାଇଲେ ଅବସ୍ଥା ସୁଅନୁକୂଳ ।

ପାଇ ସତ ଶିକ୍ଷା            ସାମ୍ୟ ମୈତ୍ରୀଦୀକ୍ଷା

ଭ୍ରମୁ ଏ ସଂସାରେ ଲଙ୍ଘି ତା’ କୂଳ,

ସଂଗ୍ରହ ଆଣୁ ତୁ କର୍ତ୍ତବ୍ୟ-ମୂଳ ।

 

(୭)

ନ ଥାଉ ଜଗତେ ସମାନ ଭାବେ,

ଉଚ୍ଚ, ନୀଚ କ୍ରମେ ଥାଉ-ମୁଁ ଭାବେ ।

ନ ହେଲେ ଜଗତ            ପରସ୍ପର ସତ,

ସମାନ ଦେଖନ୍ତା ସିନା ସ୍ୱଭାବେ,

ପୂରନ୍ତା କି ବିଶ୍ୱ କପଟ ରାବେ ?

 

(୮)

ବୀର-ହୃଦୟେ ତୋ ସଂହାରମୂର୍ତ୍ତି,

ଡରଇ ଜଗତ ଦେଖି ଯା’ ସ୍ଫୁର୍ତ୍ତି ।

ସର୍ବ ସତ୍ୟ ରୂପେ            ସାଧୁହୃଦ-କୂପେ

ଥାଉ, ପୁଣି କାହିଁ କରୁ କାକୁତି,

କାହିଁ ଦେଖାଉ ତୋ କପଟ ମୂର୍ତ୍ତି ।

 

(୯)

ତୋର ସହଚର ଇନ୍ଦ୍ରିୟ-ଗଣ,

ତୋତେ କରିଥାନ୍ତି ନିତ୍ୟ ଧାରଣ ।

କହ ମନଚାରୀ            କାହିଁ କରୁ ଜାରି

ହୁକୁମ ପଠାଇ ଜଣକୁ ଜଣ,

ପାଳନ୍ତି କରି ସେ ଶିରେ ଧାରଣ ।

 

(୧୦)

ଅଦୃଶ୍ୟ ଅସ୍ପୃଶ୍ୟ ଅଟୁ ରେ ତୁହି,

ତୋ ବିନା ଦଣ୍ଡେ ନ ଚଳଇ ମୁହିଁ ।

ହେଲେ ମୁଁ ସୁଷୁପ୍ତ            ହେଉ ତୁହି ଗୁପ୍ତ

ଅନ୍ଧାର ମୋ’ ପକ୍ଷେ ହୁଏ ସବୁହିଁ,

ମୁଁ ତ କିଛି କାହିଁ ନ ପାରେ ଛୁଇଁ ।

 

(୧୧)

କହ ଏଡ଼େ ବେଗେ ଯାଉ ତୁ କାହିଁ ?

ମୁଁ ଉଠିଲେ ପୁଣି ଆସୁ ପଳାଇ ।

ଚଢ଼ି ନିଦ୍ରା-ଦ୍ରୁମେ            ଆକାଶ-କୁସୁମେ,

ତୋଳୁ ଥାଉ କିବା ହସ୍ତ ବଢ଼ାଇ,

କହ କହ କିବା ହେଉ କି ବାଇ ?

 

(୧୨)

ଭଜେ ମହାନିଦ୍ରା ଯେ କାଳେ ପ୍ରାଣୀ,

କାହିଁ ତୋତେ କିଛି ନ ହୁଏ ଜାଣି ।

ଭାଙ୍ଗି ଭବ ହାଟ            ଆଶ୍ରି କେଉଁ ବାଟ

ପଳାଉ ତୁ କାହିଁ ନ କହି ବାଣୀ ?

କି ମୋହନ ମନ୍ତ୍ରେ କେ ନିଏ ଟାଣି !

 

(୧୩)

ତପନ-ସମ୍ଭବ କର-ନିକର,

ତପନ ହିଁ ତାଙ୍କ ଲୟ-ଆକର ।

ତୋ’ ତହୁଁ ଉଦ୍ଭୁତ            ପଞ୍ଚ ମହାଭୂତ

ତୋ’ ତହିଁରେ ତେହ୍ନେ ଲୀନ ସହର,

ତୁ ସ୍ଥିତି-ବିଲୟେ ତାଙ୍କରି ଘର ।

 

(୧୪)

ରୂପ-ରସ-ଗନ୍ଧ ନାହିଁ ତୋହର,

ମାତ୍ର ତୁ ଏ ସର୍ବ ଜ୍ଞାପନେ ବର ।

ତୁ ନ ଥିଲେ କାହିଁ            କେ ଜାଣନ୍ତା ତାହିଁ

ପଡ଼ି ରହି ଥାନ୍ତା ସବୁ ଭବର;

କେ ଚିହ୍ନନ୍ତା ପଶୁ, ପକ୍ଷୀ, ଏ ନର ?

 

(୧୫)

ତୁହି ଯେବେ ପଶୁ କଳ୍ପନା-ରାଜ୍ୟେ,

ଲାଗି ଯାଉ ଯେଉଁ ଅଦ୍ଭୁତ କାର୍ଯ୍ୟ,

କେତେ ମନୋରମ            ଶୋଭା ଅନୁପମ

ଦୁଃଖ ସୁଖ ଦେଖେ ତୋହ ସାହାଯ୍ୟେ,

କାନ୍ଦେ ଅବା ଭ୍ରମେ ଶାନ୍ତି ସୌରାଜ୍ୟେ ।

 

(୧୬)

ଶରୀର ମୋହର ଅଟଇ ରଥ ।

ସାରଥୀ ତୁ ତାକୁ କଢ଼ାଉ ପଥ ।

ଇନ୍ଦ୍ରିୟ ନିକର            ତୋର ଅଶ୍ୱବର

ବାସନା ରଜ୍ଜୁତ ତୋର ହସ୍ତସ୍ଥ,

ଯେଣେ ଟାଣୁ ତେଣେ ହୁଏ ମୁଁ ଗତ ।

 

(୧୭)

ଭବ-ପାପ-ପଙ୍କେ ନୋହି ମଳିନ,

ମାତା କୋଳେ ଯେବେ ହୋଇ ଆସୀନ,

ନାଳ ରୂପ ଧରି            କରୁଥିଲୁ ଅଳି

କହୁଥିଲେ ମାତା ତୋତେ ତୋଷିଣ,

କାନ୍ଦୁ କିରେ ଦିନେ ତାହା ସ୍ମରିଣ ?

 

(୧୮)

ହରାଇ ନିଷ୍ପାପ ଜୀବନ କାହିଁ,

କି କଥାରେ ମନ ହୋଇଛୁ ବାଇ ?

ନୁହେ ରେ ଜଗତ            ପାପ-ପରବତ

ତାକୁ ତୁ ଦେଖୁ ସେ ନେତ୍ରେ କିପାଇଁ,

ତା ପାଇଁ ଛନ୍ତିକି ବିଭୁ ପଠାଇ ?

 

(୧୯)

ନୟନ ଫିଟାଇ ଚାହାଁ ରେ ମନ,

ଅତୀତ ରାଇଜ କେଡ଼େ ଶୋଭନ !

ସ୍ମୃତି-ସତ୍ୟ ଯେବେ            ଉଦ୍ଧାରୁ ତୁ ତେବେ

ଶୋଇ ଅଛୁ କିପାଁ ମୁଦି ନୟନ ?

କି ଅସାଧ୍ୟ ଭବେ କଲେ ଯତନ !

 

(୨୦)

ମାନବ ଜୀବନ ଉଦ୍ୟାନ-ସମ,

ତହିଁରେ ପାଳକତୁହି ପରମ ।

ମନୋବୃତ୍ତି- ଗଣ            କରିଣ ଯତନ

ପାଳିଲେ ସୁନୀତି ଫଳେ ବହନ ।

ଅବହେଳେ ହୁଏ ଫଳ ବିଷମ ।

 

(୨୧)

କୁ-କର୍ମ ଜ୍ୱଳନ୍ତ ଇନ୍ଧନ-ସରି,

ମାୟା-ମୋହ-ଅଜ୍ୟ ତହିଁ ସଞ୍ଚରି,

ହେବେ ତୋତେ ଜାଳି            ପଡ଼ିଯିବ କାଳି

ନ ଯା ତୁ ମନ ସେ ପଥ ଆଦରି;

ଆପାତ-ମଧୁର-ସୁଖକୁ ସ୍ମରି ।

 

(୨୨)

ଅଛନ୍ତି ତୋହର ବନ୍ଧୁ ଅନେକ

ବିଶ୍ୱାସ, ସୁନୀତି, ପ୍ରେମ, ବିବେକ,

ଧଇର୍ଯ୍ୟ, ସାହସ            ତାଙ୍କ ପାଶେ ବସ

ଦେଖିବୁ ରେ ଅନ୍ତେ ବିଭୁ ବାରେକ

ହେବ ଶିରେ ଶାନ୍ତି-ସୁଧା-ନିଷେକ ।

 

ମର-କଳେବର

(୧)

ପଦ୍ମ-ଦଳଗତ ଜଳ ମର-କଳେବର,

କ୍ଷଣ-ଭଙ୍ଗୁର ରୋଗଭୂ ଅଟେ ବିନଶ୍ୱର,

ନିଃଶ୍ୱାସକେ ଯାଏ ନାଶ,            କେ କରେ ତାକୁ ବିଶ୍ୱାସ

ଜୀବନ ଜୀବନ ବିମ୍ବ ନୁହଇ ନିଜର ।

କେବଳ ଅଟଇ ଜରା-ଅଧି-ବ୍ୟାଧି-ଘର ।

 

(୨)

ଅଟେ କଳେବର ଘର କେବଳ କଳର,

ବାହ୍ୟ ଦୃଶ୍ୟେ ଦିଶେ ନେତ୍ରେ ଅତି ମନୋହର ।

ଖସିଲେ ଦେହରୁ ବଳ            ଛାରଖାଁର ହେବ କଳ

କରିବ କାଳ କବଳ ଦୁଷ୍ଟ ଅନ୍ତକର ।

ତା’ ମୋହ-ପାଶରୁ କେହୁ ନୁହନ୍ତି ଅନ୍ତର ।

 

(୩)

ଧୈର୍ଯ୍ୟ, ବୀର୍ଯ୍ୟ, ସ୍ଥୈର୍ଯ୍ୟ ଆଦି ଗାମ୍ଭୀର୍ଯ୍ୟ ସହିତେ,

ଅନ୍ତିମ ଶୟନେ କେହି ନ ଥିବେ ରେ ହିତେ,

କାଟି ବାଟ ଯେଝା ମତେ            ଚଳିବେ ନିଜ ଆୟତ୍ତେ

ଯାଉତୁ କିପାଁ ପରତେ ଧନ ଦାରା ବିତ୍ତେ,

‘‘ତୁ, ମୁଁ ଭେଦ ବାରୁ କିପାଁ ନିରତେ ତୋ ଚିତ୍ତେ’’

 

(୪)

ମାୟା ମୋହ ମରୀଚିକା ଦେଇ କେତେ ଆଶ,

ଭ୍ରମାଇଁ ଭ୍ରମାଇଁ କରୁଛନ୍ତି ରେ ନିରାଶ

ତେବେ ତୁ ନ ପାରୁ ତେଜି            ସତ୍ୟକୁ ଦୂରେ ବରଜି

ମିଥ୍ୟା-ସୂତ୍ରେ ଅଛୁ ମଜ୍ଜି ପାଇବୁ ପରାଶ,

ମିଛେ ନ ମଣ ଏହାକୁ ଶାନ୍ତି-ସୌଧ-ବାସ ।

 

(୫)

ଲୁଚି ଅଛି ପଛେ କାଳ ଦେବ ଦିନେ ଝମ୍ପ,

ଜୀବନ ସଙ୍ଗତେ ଦେଇ ଆସୁଅଛି ଲମ୍ଫ;

ନାହିଁ ସେ ତୋତେ ପାଶୋରି            ଅଲକ୍ଷିତେ ଫିଙ୍ଗି ଡୋରି

କରିବ ଜୀବନ ଚୋରି ଦେଉଥିବୁ କମ୍ପ,

ଗ୍ରାସ କରେ କାଳ ଯେହ୍ନେ ବିଷଧର ତମ୍ପ ।

 

(୬)

କେତେ ଦିନ ଏ ସଂସାରେ ବୃଥା କରୁ ଗର୍ବ ?

ଅଭିମାନ, ଅହଙ୍କାର ତା’ କବଳେ ଖର୍ବ ।

କି ଚେତନ, ଅଚେତନ            ଦେଖେ ସମ ତା’ ନୟନ

କଲେହେଁ ଯେତେ ଯତନ ନ ମାନେ ସେ ସର୍ବ,

କରିପାରେ ଜୀର୍ଣ୍ଣ ଧରା ତା’ ଅନନ୍ତ ଗର୍ଭ ।

 

(୭)

ଭାସୁଅଛି ଜୀବ ତା’ର ଅନନ୍ତ-ତରଙ୍ଗେ,

କାଠି କୁଟା ତରାୟେ ରେ ଭବେ କେତେ ରଙ୍ଗେ ।

ଅଗ୍ରେ ଯେ ଭୀମ ଆବର୍ତ୍ତ            ଖୋଳୁଛ ଗଭୀର ଗର୍ତ୍ତ

ପଡ଼ିଲେ ନ ମିଳେ ଅନ୍ତ କାହିଁ କାହା ସଙ୍ଗେ,

ଗଲୁ କେହି ନ ଦେଖିବେ ତୋ ଦୁର୍ଲ୍ଲଭ ଅଙ୍ଗେ ।

 

(୮)

ହୋଇଣ ଆଶାର ବଶ ଲୋଡ଼ୁ ଭ୍ରମେ ଯଶ

ପାନ କରୁ ବିଷୟାର ବିଷମୟ ରସ ।

ନ ହେବ ଏ ପରିପାକ            ଘୋଟିବ ଅନ୍ତେ ବିପାକ

ନ ପଶିବେ କେହି ପାଖ ତୁ ଯାହାରେ ବଶ,

ଶତ ଘୃଣା ଜାତ ହେବ କଲେ ତୋତେ ସ୍ପର୍ଶ ।

 

(୯)

ପୁଷ୍ପ-ସୁକୋମଳା ନାରୀ ଆଭାମୟ ଗାତ୍ର,

କ୍ଷଣସ୍ଥାୟୀ ହେଲେ ହେ ତୋ’ ନେତ୍ର ଶୋଭା-ପାତ୍ର ।

ହୋଇ ତାର ଅନୁରକ୍ତ            ମିଥ୍ୟା ସୁଖେ ସଦା ରତ

ସାଧୁ ତୋ’ ଜୀବନ-ଅନ୍ତ, ସେ କ୍ଷଣିକ ମାତ୍ର,

ବିଚିତ୍ର ବେଶଭୂଷାଦି ନୁହେ ସୁଖ-ପାତ୍ର ।

 

(୧୦)

ଗୁପତେ ନିରତ ପଶି ତୋ’ ହୃଦ-ଭବନେ,

ପାପ-ରିପୁ ବାସ କରି ଅଛନ୍ତି ପ୍ରଚ୍ଛନ୍ନେ ।

ଅମୂଲ୍ୟ ରତନ-ଧନ            ଛନ୍ତି ଯେ ସଦ୍ଗୁଣ-ଗଣ

କରିବେ ଅପହରଣ ନାହିଁ କିରେ ମନେ ?

ନିଦ୍ରା ତେଜି ଜ୍ଞାନଅସ୍ତ୍ର ଧର ଅନୁକ୍ଷଣେ ।

 

(୧୧)

ସୁନୀତି-ନାବରେ ବସ, ଏ ଭବ-ସାଗରେ,

ନ ବୁଡ଼ିବ ଧର୍ମ-ନାବ ଗଭୀର ଜଳରେ ।

କର୍ଣ୍ଣଧାର ନିଜେ ଯହିଁ            ଜଗତ ପିତା ଅଟଇ

ନାହିଁ ତୋର ଭୟ ତହିଁ ତରିବୁ ସୁଖରେ,

ଛାଡ଼ିଲେ ନାବ ପଡ଼ିବୁ କୁମ୍ଭୀର-ମେଳରେ ।

 

(୧୨)

ବାଜୁଛି ରେ ଭବେ ଦେଖ କର୍ତ୍ତବ୍ୟ-ବାଜଣା,

ଆଳସ୍ୟରେ ମାତିଛୁ ତୁ ଯାଉ ନାହିଁ ଜଣା ।

ବୃଥା ପ୍ରୟାସରେ ମାତି,            କାଟୁଅଛୁ ଦିବା ରାତି,

ଚୌଦିଗେ ଛନ୍ତି ଅରାତି କରି ଦେବେ ବଣା-

ମଣୁଛୁ କି ତାଙ୍କୁ ଛଣା ପିୟୁଷର ପଣା ?

 

(୧୩)

ନ ହୁଅରେ ସ୍ଫୀତ ସଦା ଗର୍ବ-ଅଭିମାନେ,

ନ ଥିବେ ଏଥିରୁ କେହି ତୋ’ ମହାପ୍ରସ୍ଥାନେ,

ଧର୍ମରେ ରଖ ବିଶ୍ୱାସ            ଲଭିବୁ ଯେବେ ଅଶ୍ୱାସ

ବାନ୍ଧି ମନେ ଦୃଢ଼ ଆଶ ତୋ କ୍ଷୁଦ୍ର ପରାଣେ,

ସରୁଛି ଆୟୁଷ ଦେଖ ତୋ’ ନୟନ-ଜ୍ଞାନେ ।

 

(୧୪)

ବୃଥା ସିନା ଅଟଇ ରେ କର୍ମ-ହୀନ ଧର୍ମ୍ମ,

ଧର୍ମ୍ମ-ଅଭାବରେ ପୁଣି ତେସନଟି କର୍ମ୍ମ ।

କରରେ ଦୃଢ଼ ଯତନ            ପାଇଛୁ ସାର ଜୀବନ

ସୁବିବେକ, ଜ୍ଞାନ, ମନ, ଖୋଜ ସତ୍ୟ-ମର୍ମ୍ମ ।

ତେବେ ରେ ଅନ୍ତେ ଲଭିବୁ ଶାନ୍ତି-ରତ୍ନ-ହର୍ମ୍ମ୍ୟ ।

 

(୧୫)

ନିଜକୁ ଆଦର୍ଶ କରି ବିଶ୍ୱ-ଧାତା ହରି,

ମାନବନିକର ସୃଷ୍ଟି ଅଛନ୍ତି ରେ କରି,

ତେଣୁ ଜଗତେ ମାନବ            ସୃଜେ ସର୍ବ ନବ ନବ

ସାଧି ଯାଏ ଅସମ୍ଭବ ନ ରହ ତୁ ଡରି ।

ସାଧିଯା ରେ ତେଣୁ ନବ କର୍ମ୍ମ ତୁ ଆଦରି ।

 

(୧୬)

ଧୂଳିର ଏ କଳେବର ମିଶିବ ଧୂଳିରେ;

ସ୍ୱପ୍ନ ସମ ଏ ଜଗତ ବିଳସୁ ଯହିଁରେ;

ଭାଙ୍ଗିଲେ ମୋହ-ସ୍ୱପନ            ଦେଖିବୁ ଫେଡ଼ି ନୟନ

କାହିଁ ଭ୍ରମୁଁ ଥିଲା ମନ ବିଫଲେ ମାତି ରେ ।

ସ୍ୱପ୍ନ-କ୍ରୀଡ଼ା-ସହଚର ନାହାନ୍ତି ସାଥିରେ !

 

(୧୭)

ଜଗତ-ଆଦି-କାରଣ ପ୍ରଭୁ ପରାତ୍ପର,

ସ୍ଥାବର ଜଙ୍ଗମ ଗାଏ ମହିମା ଯାଙ୍କର,

ତାଙ୍କ ପଦେ ରଖି ମତି            ଯାଅ କର୍ତ୍ତବ୍ୟରେ ମାତି,

ଅନ୍ତେ ତୋର ସେହି ସାଥୀ ହେଳା ତୁ ନକର ।

ଦେବେ ରେ ପବିତ୍ର ପ୍ରେମ ତୋତେ ସେ ଈଶ୍ୱର ।

 

ସିନ୍ଧୁ ପ୍ରତି

(୧)

ଅସୀମ ନିଳାମ୍ବୁରୀଶି ଦିଗନ୍ତ ବିସ୍ତାରି

କି ବିଶାଳ କଳେବର ଅଛତୁ ପ୍ରସାରି !

କି ଗମ୍ଭୀର କି ମହାନ ଜାଗେ ଭାବରାଶି,

ତୋ’ ଦର୍ଶନେ ରେ ସାଗର, ନ ପାରେ ପ୍ରକାଶି ।

 

(୨)

ବିଚିତ୍ର ବଳୟାକାରେ ବ୍ୟାପି ଚଉପାଶେ,

ତୋ’ ବିରାଟ ବପୁ ଓହୋ ! କି ଭାବ ପ୍ରକାଶେ !

କି ମହା ସୁଲଭ ତୁହି କେଡ଼େ ତୋ’ ଗରିମା,

ଜ୍ଞାନ ବୁଦ୍ଧି ପରାହତ ଚିନ୍ତି ତୋ ମହିମା !

 

(୩)

ତୋ’ ବିନା ନ ପାରେ ତିଷ୍ଠି ଏ ଜୀବ ସଂସାର,

ଜୀବର ଜୀବନାଧାର ତୁହି ପାରାବାର ।

ମଙ୍ଗଳ-ମୟ ବାରତା ବିଶ୍ୱ ବିଧାତାର,

ଅଶେଷ କଲ୍ୟାଣ ସାଧି କରୁକ ପ୍ରଚାର ?

 

(୪)

କେତେ ରୂପେ ଗଢ଼ି ତୋତେ ସେ ବିଶ୍ୱ-ବିନ୍ଧାଣି,

ବିଶ୍ୱହିତେ ନିଯୋଜିତ କରେ ପୁଣି ଆଣି ।

ଭାବିଲେ ବିସ୍ମୟେ ସ୍ତବ୍ଧ ହୁଅଇ ଅନ୍ତର,

ଆତ୍ମ-ଅଭିମାନ ମୁହିଁ ତେଜେ କ୍ଷୁଦ୍ର ନର ।

 

(୫)

ବସିଣ ନୀରଦ-ରଥେ ସମୀର-ଚାଳିତ,

ସୁତପ୍ତ ପାନୀୟ ତୋର ସାଧେ ପ୍ରାଣିହିତ,

ଯେ କାଳେ ଆକାଶ-ବକ୍ଷେ କରି ସଞ୍ଚରଣ

ମନେ ଆସେ ପୁଷ୍ପକେ ତୁ କରୁ କି ଭ୍ରମଣ ?

 

(୬)

ବରଷଇ ବାରିଧାରା ହୁଏ ସୁଶୀତଳ,

ସୁତପ୍ତ ଧରଣୀ ବକ୍ଷ ପବିତ୍ର, ନିର୍ମଳ-

ସୁଶ୍ୟାମଳ ଶସ୍ୟେ ମଣ୍ଡି ହୁଏ ବସୁନ୍ଧରା ।

କାହିଁଛି ତୋ’ ସମ ବନ୍ଧୁ ଦୁଃଖ-ଶୋକ-ହରା ?

 

(୭)

ତୁ ନ ଥିଲେ ନ ଥାନ୍ତା ଏ ଶ୍ୟାମ-ଦୁର୍ବାଦିଳ,

ନ ଥାନ୍ତା ଏ ତରୁ ଲତା-ପତ୍ର-ପୁଷ୍ପ-ଫଳ;

ନ ଥାନ୍ତା ଏ ପକ୍ୱ ଶସ୍ୟ ପ୍ରାଣ-ପୁଷ୍ଟିକର,

ତୋହ ଘେନି ଜୀବ-ସୃଷ୍ଟି ସିନା ଜଗତର ।

 

(୮)

ନ ଥିଲା ଯେ କାଳେ ଏହି ଧରଣୀ ମଣ୍ଡଳ;

ଶୂନ୍ୟେ ଶୂନ୍ୟେ ବିରାଜିତ ଥିଲା ଭୂମଣ୍ଡଳ;

ତୁ ଥିଲୁ, ସ୍ୱକରେ କେହ୍ନେ ଗଢ଼ି ତୋହ ବକ୍ଷେ,

ସ୍ଥାପିଲା ଧରିଣୀ ବିହି ଦେଖିଛୁ ସ୍ୱଚକ୍ଷେ !

 

(୯)

କେମନ୍ତେ ଏ ଜୀବସୃଷ୍ଟି ହେଲା ଧରଣୀରେ,

ସକଳେ ପାଇଲେ ପୁଷ୍ଟି କେହ୍ନେ ତୋହ ନୀରେ,

କେମନ୍ତେ ପ୍ରଳୟ ହେଲା ବିନାଶର ବିଧି,

ସକଳ ଦେଖିଛୁ ତୁହି ଆରେ ଜଳନିଧି !

 

(୧୦)

ରହିଛୁ ମହୀକୁ ବେଢ଼ି ରଖିଛୁ କବଳେ,

ଇଚ୍ଛିଲେ କ୍ଷଣକେ ଗ୍ରାସ କରି ପାରୁ ବଳେ ।

କିନ୍ତୁ ଓହୋ ! ମାନି ତୁହି ବିଧାତାର ବିଧି,

ନ ଲଙ୍ଘୁ ତୋ’ ବେଳା ଏହା ମହତର ସିଦ୍ଧି ।

 

(୧୧)

ଅନନ୍ତ-ରତ୍ନ-ଆକର ତୁହି ରତ୍ନାକର,

ତୋ’ ସମ କେ ଧନେ ବଳୀ ଅଛି ଜଗତର ?

ମହା ମହା ପ୍ରାଣୀ କେତେ ନଗ ତୁଙ୍ଗି-ଶିର,

ଗର୍ଭେ ତୋ’ ଆଶ୍ରୟ ଲଭି ଅଛନ୍ତି ଗଭୀର ।

(୧୨)

ବିଶ୍ୱବନ୍ଧ୍ୟା ରମା ଅନୁପମା ଉପମାରେ,

ସକଳ ସୌନ୍ଦର୍ଯ୍ୟ ଯହିଁ ଠୁଳ ଏକାଧାରେ,

ସକଳ ବିଭବ ଯା’ ଙ୍କ ଲୋଟେ ପଦତଳେ,

ତୋହରି ଗରଭୁଁ ଜାତ ସେ ମାତା କମଳେ ।

(୧୩)

ସକଳ-କଳା-ବିଭବ ପୂର୍ଣ୍ଣ ସୁଧାକର,

ମଣ୍ଡଇ ଧରଣୀ ଯା’ର ସ୍ନିଗ୍ଧ ଶୁଭ୍ରକର ।

ତୋ ଗର୍ଭୁଁ ସେ ଜାତ ତେଣୁ ନିରେଖି ସେ ଇନ୍ଦ,

ପ୍ରେମୋଲ୍ଲାସେ ଫୁଲି ଉଠେ ତୋର ହୃଦ-ସିନ୍ଧୁ ।

(୧୪)

ତୋଳିଣ ତରଙ୍ଗ-ଭୁଜ ଉଫୁଲ୍ଲେ ଆକାଶେ,

ବଢ଼ାଉ କି କର ତୁହି ଆଲିଙ୍ଗନ ଆଶେ ?

ତୋ’ ସମ ଭକତ ହୃଦୁଁ ପ୍ରେମ-ଉର୍ମି ଉଠି,

ବିଭୁ-ପଦ-ଆଲିଙ୍ଗନେ ଯାଏ ତହିଁ ଲୁଟି ।

 

(୧୫)

ଗଭୀର ନିଶୀଥେ ଶଶୀ-କରେ ବିଚ୍ଛୁରିତ,

ଉଫ୍ଫୁଲ୍ଲ ଲାବଣ୍ୟ ଅଙ୍ଗ ଦିଶଇ ଶୋଭିତ ।

ଗଭୀର ନିନାଦେ କରୁ ଓଁ-କାର-ଧ୍ୱନନ,

ଧ୍ୟାନେ ଅବା ଯୋଗୀ କରେ ବ୍ରହ୍ମ-ଦରଶନ !

 

(୧୬)

ଲୋହିତ-ବରଣା ଉଷା ସ୍ୱଭାବେ ପବିତ୍ରା,

ବେଦ-ମନ୍ତ୍ର-ମୁଖରିତା ସୁବେଶ-ବିଚିତ୍ରା,

ସୁମନ ସୁଗନ୍ଧ ବହି ଧୀର ସମୀରଣେ,

ସ୍ୱର୍ଣ୍ଣ-କର-ଜାଳେ ମଣ୍ଡି ବନ୍ଦେ ତୋ’ ଚରଣେ ।

 

(୧୭)

ନକ୍ଷତ୍ର-ଖଚିତ-ହାର ଲମ୍ବାଇ ବକ୍ଷରେ,

ରଞ୍ଜିଣ ତୋ’ ଅପଘନ ଲୋହିତ-ରାଗରେ

ଧୀର ପଦକ୍ଷେପେ ଯେବେ ଆସେ ସନ୍ଧ୍ୟାରାଣୀ,

ସେ କାଳର ଶୋଭା ତୋର ନ ପାରେ ବଖାଣି ।

 

(୧୮)

ତୋହ କୋଳୁଁ ହେଲା କେତେ ରାଜ୍ୟ-ଅଭ୍ୟୁଦୟ,

କେତେ ପୁଣି ସେହି କୋଳେ ଭଜିଛି ବିଲୟ ।

କେତେ ହାସ୍ୟ ପୁଣି କେତେ ପ୍ରାଣିଙ୍କ କ୍ରନ୍ଦନ,

ଦେଖିଛୁ ହର୍ଷ, ବିଷାଦ, ଉତ୍ଥାନ, ପତନ ।

 

(୧୯)

ନାଚଇ ଅସଂଖ୍ୟ ବିଶ୍ୱ ପ୍ରତିବିମ୍ବ-ଛଳେ,

ତୋ ମହାବକ୍ଷେ, ସେ ଶୋଭା ବଚନକୁ ବଳେ ।

ଜ୍ୟୋତିରୂପେ ଊର୍ଦ୍ଧୁଁ ଯାହା ଜନ-ନେତ୍ରେ ଦିଶେ,

ସ୍ୱମୁଖ ଦେଖନ୍ତି ନୀର-ଦରପଣେ କି ସେ ?

 

(୨୦)

ଭୀଷଣ ବାଡ଼ବାନଳ ତୋ ଗର୍ଭେ ନିହିତ,

ଅଗ୍ନ୍ୟୁତ୍ପାତେ ବକ୍ଷ ତୋର ହୁଏ ବିକ୍ଷୋଭିତ ।

ଜଳରୁ ଅନଳ ଏହା ବିଧାତା ଭିଆଣ ।

ସ୍ମରିଲେ ଏ ସର୍ବ ସ୍ତବ୍ଧ ହୋଇ ଯାଏ ପ୍ରାଣ ।

 

(୨୧)

ଗିରି-କନ୍ଦରାରୁ ଜନ୍ମି ଭ୍ରମି କେତେ ଦେଶ,

ଲଙ୍ଘି କେତେ ବନଗିରି ସହି କେତେ କ୍ଳେଶ,

ଆସନ୍ତି ନିମ୍ନଗା କେତେ ଅନ୍ତେ ତୋ’ ସନ୍ନିଧି,

ଆଦରେ ଆଲିଙ୍ଗୀ ତାଙ୍କୁ ଘେନୁ ଜଳନିଧି ।

 

(୨୨)

କି ମହା ପ୍ରବାହ-ପୂରେ କି ପ୍ରେମ-ଉଚ୍ଛ୍ୱାସେ,

ତୋ’ ସଙ୍ଗେ କରନ୍ତି ଗତି ବିଭୁପଦ-ଆଶେ ।

ତୁଟାଇ ସକଳ ବନ୍ଧ ସେ ସରିତସମ,

ଲଭେ ଭକ୍ତ ଶାନ୍ତି-ଧାମ ଶ୍ରୀ-ପଦ-ସଙ୍ଗମ ।

 

(୨୩)

ଅନନ୍ତ ଗରୀମାମୟ ତୁହି ମହାସିନ୍ଧୁ,

ତୋ’ ସାଙ୍ଗେ ତୁଳିଲେ ମୁହିଁ ନୁହେ ସୁଦ୍ଧା ବିନ୍ଦୁ ।

ସଂସାରର ଗର୍ବଦମ୍ଭ ଅଭିମାନ ମୋର,

ନିମିଷକେ କେଉଁ ଆଡ଼େ ହୁଅଇ ପାଶୋର ।

 

(୨୪)

ବିଭୁ-ଅଙ୍ଗ-କାନ୍ତି ତୋର ଆହା କି ଉଦାର, !

ଦରଶନେ ଲଭଇ ମୁଁ ଆନନ୍ଦ ଅପାର ।

ସଂସାରୀ ମୁଁ କ୍ଷୁଦ୍ର ପ୍ରାଣ ଉଠେ ମୋର ଫୁଲି,

ସଂସାରର କ୍ଷୁଦ୍ର ଭାବ ଯାଏ ସବୁ ଭୁଲି ।

 

(୨୫)

ମୋ ଜୀବନସ୍ରୋତ ମହାକାଳ-ସିନ୍ଧୁ-ନୀରେ

ଭଜିବ ବିଲୟ ଏବେ ଗତି କରେ ଧୀରେ ।

ତୋ’ ଦର୍ଶନେ ନାଚେ ପ୍ରାଣ ଦିବ୍ୟାନନ୍ଦମଦେ,

ଲୋଟିବି ମୁଁ ପରମେଶ-ରାଜୀବ-ଶ୍ରୀପଦେ ।

 

ସ୍ୱପ୍ନ

(୧)

କେଡ଼େ ମଧୁମୟ ଅଟୁ ତୁହିରେ ସ୍ୱପନ !

କି ରହସ୍ୟ ଦେଖେ ଭ୍ରମି ତୋହ ସଙ୍ଗେ ମନ ।

କେତେ ଗତ ସୁଖ ଦୁଃଖ            ଦେଖାଉ ନୋହି ବିମୁଖ

ରଖି ଥାଉ କାହିଁ ଅବା କରିତୁ ଗୋପନ ।

 

(୨)

ଚିନ୍ତାରେ ଆକୁଳ ଯେବେ ହୋଇ ମୋର ପ୍ରାଣ,

କରଇ ଶ୍ରମ-ପ୍ରସୂନ ନିଦ୍ରାରେ ଆଘ୍ରାଣ,

କାହିଁ ଥାଉ, ମିଳୁ ସଙ୍ଗେ             ଦେଖାଉ କି ନବରଙ୍ଗେ

କେତେ ମନୋହର ଦୃଶ୍ୟ ଯା ଅଟେ ପୁରାଣ ।

 

(୩)

କେତେ କେତେ ଭାବୋଚ୍ଛ୍ୱାସଉଠେ ମୋର ମନେ,

ଅଟେ ମୁଁ ଅକ୍ଷମ ଯାହା ଗ୍ରହଣେ ସାଧନେ;

କିନ୍ତୁ ଯେବେ ତୋର ସଙ୍ଗ             ଲଭେ ମୁଁ ହୋଇ ନିଃସଙ୍ଗ,

ଆଶା ମେଣ୍ଟି, ସୁଖ ମୋର ଲଭେ ଏ ଜୀବନେ ।

 

(୪)

କାର୍ଯ୍ୟସମାଧାନେ ଯାଇ ହୁଏ ମୁଁ ବିଫଳ,

ମାତ୍ର ତୁହି ଦେଉ ପୁଣି ଦେହେ ମନେ ବଳ ।

ଦେଖେ ମୁଁ ତୋହ କୌଶଳେ            ସାଧି ଅଛି ନିଜ ଦଳେ

ପୁଣି ନବ ଉତ୍ସାହରେ ହୋଇ ମୁଁ ସଫଳ ।

 

(୫)

ଯାହା ମୋର ପ୍ରିୟ ବସ୍ତୁ ଭାବେ ଅନୁକ୍ଷଣ,

ନିଃଶବଦେ ତାକୁ ଆଣି କର ତୁ ମିଳନ ।

ସାଧେ ମୋ ମନୋବାସନା            ପୂର୍ଣ୍ଣ କରଇ କାମନା

ତୋହ ଲାଗି ସିନା ତୃପ୍ତି ଲଭଇ ଏ ମନ ।

 

(୬)

ବିସ୍ମୃତି-ଗର୍ଭରେ ମୋର ଥାଏ ଯେତେ କଥା,

ଟାଣିବାକୁ ସ୍ମୃତି କ୍ଷେତ୍ରେ ନ କରୁ ଅନ୍ୟଥା ।

ନବ ଉନ୍ନତିର ମୂଳ            ଅତୀତ ସମ କେ ତୁଲ

ତେଣୁ କିରେ ! କହୁ ଆସି ଅତୀତ ବାରତା ।

(୭)

କ୍ଷଣକ ପାଇଁକି ତୋର ଅଛଇ ଶକତି,

ରାଜା କରି ପାରୁ କେହି ନ ରୋଧିବେ ଗତି ।

ପରକ୍ଷଣେ ଯାହା ତାହା            ଦେଖନ୍ତି ନିକର ରାହା

ଠାରୁ କି ଭବ-ରାଜ-ଶ୍ରୀ ଅଟେ ଏହି ମତି ।

 

(୮)

ଦେଉ କ୍ଷଣକରେ ଆଣି କ୍ଷଣିକ ସମ୍ପଦ,

ପରକ୍ଷଣେ ଲୋଡ଼ିଥାନ୍ତି ଯାହା ନିଜ ପଦ ।

କହୁ କି ଗୁପତେ କଥା            ଏ ଭବ-ବିଭବ ତଥା

ନୁହ ଗର୍ବେ ସ୍ଫୀତ ମଣି ପରମ ଆସ୍ପଦ ।

 

(୯)

ନୈରାଶ୍ୟ-ମଗନ ନର ତୋହରି ପ୍ରସାଦେ,

କ୍ଷଣେ ସୁଖ ଲଭେଁ ନାଶି ନିଜ ଅବସାଦେ ।

ଯାଚତ ସୁଖ ଐହିକ                  ନୈରାଶ୍ୟମୟ କ୍ଷଣିକ

ଜଣାଉ କି ଗୁପତରେ ଭାବିପରମାଦେ ।

 

(୧୦)

ତୋର ସୁଖୀ ସହଚର ପରି ଭବ-ନର,

କ୍ଷଣିକ ଅଳୀକ ସୁଖେ ମଗ୍ନ ନିରନ୍ତର ।

ଯେହ୍ନେ ତୋର ସଙ୍ଗୀବର            ଶେଷ ହୁଅଇ ଅନ୍ତର

ଛାଡ଼ି ସୁଖ ନର ତେହ୍ନେ ଗମଇ ସହର ।

 

(୧୧)

ଧନ-ଗର୍ବେ ମାତି ସୁଖେ ହୃଦ ଫୁଲି ଉଠେ,

କରେ କେତେ ଅନାଚାର ନ୍ୟାୟ ଯହିଁ ତୁଟେ ।

ସ୍ୱପନେ ପଡ଼େ ବିପଦେ            କେତେ କେତେ କୂଟ-ଛନ୍ଦେ

ଦେଉ କି ଶିକ୍ଷା ନ ଭାସ ମୋହ-କାଳ କୂଟେ ।

 

(୧୨)

କ୍ରୀଡ଼ାମୋଦେ ମାତି ନର ଭୁଞ୍ଜେ ସ୍ୱର୍ଗ ସୁଖ ।

ସ୍ୱାର୍ଥ ଲୋଡ଼ି ଉପକାରେ ହୁଅଇ ବିମୁଖ ।

ଭବର ଏସବୁ ଖେଳ            ନ ରହନ୍ତି ହେଲେ ବେଳ

ତୋହ ପରି ଭାଙ୍ଗି ଯାନ୍ତି ନିଜ ସୁଖ ଦୁଃଖ ।

 

(୧୩)

ଜାଣିଲି ତୁ ନୀରବରେ ଦେଉ କେତେ ଶିକ୍ଷା,

ଦେଖାଉ ନାଟକାକାରେ ଏ ଭବର ଦୀକ୍ଷା ।

ମାନବ-ଭଙ୍ଗ-ଶରୀର            ତୋହ ପରାଏ ଅସ୍ଥିର

ତେଣୁ କି ଦେଖାଉ ତାକୁ ନିଜର ଅଭିଖ୍ୟା ?

 

(୧୪)

ଧନିକ ନିର୍ଦ୍ଧନ ସୁଖୀ ଦୁଃଖୀ ତୋର ନାହିଁ,

ସମଭାବେ ନେତ୍ର ତୋର ଦେଖେ ସବୁ ଠାଇଁ ।

ଯେହୁ ଯେଡ଼େ ଉଚ୍ଚମନା            ଯେ ରୂପେ କରେ କାମନା

ତାକୁ ସେହି ଭାବେ ମାତ୍ର ଦେଖା ଦେଉ ଯାଇ ।

 

(୧୫)

କାହୁଁ ଆସି କାହିଁ ଯାଉ ନ ଜାଣେ ମୁଁ ତାହା,

ତୋହ ପରି ଅଟଇ ରେ ମୋ ଜୀବନ-ରାହା ।

ମଧ୍ୟ ପଥେ ଖେଳେ ଖେଳ            ଯିବି ଭାଙ୍ଗି ସର୍ବ ମେଳ

କାହିଁ ଗଲି ନ ଜାଣିବେ ନ ହେବ କେ ସାହା ।

 

ସ୍ତୁତି

ଅନାମୟ-ବଇକୁଣ୍ଠ-ବିହାର-ରସିକ,

ପୂର୍ଣ୍ଣବ୍ରହ୍ମ ସଦାନନ୍ଦ ଶାଶ୍ୱତ ମୌଳିକ ।

ପ୍ରଭୋ ! ଜଗତ-ବ୍ୟାପକ

ଜନ-ନେତ୍ର-ଅଗୋଚର ଅରକ୍ଷ-ରକ୍ଷକ ।

 

(୧)

ଅଜ୍ଞାନ-ତମ-ବିଧ୍ୱଂସୀ ପ୍ରଚଣ୍ତ ଭାସ୍କର,

ଦାରିଦ୍ର୍ୟ-ମାଚନେ ପୁଣି କରୁଣାସାଗର ।

ପ୍ରଭୋ ! ଅନନ୍ତ, ଅଗମ୍ୟ ।

ବୁଝିବ କି ନର, ତୋ’ ଲୀଳା ପରମ ରମ୍ୟ ।

 

(୨)

ବିଷମ-ବିଷ-ଜର୍ଜର ଏ ସଂସାର-କାରା,

ଉଦ୍ଧାରି ପାରେ ଏଥୁଁ, ତୋ କୃପାମୃତ-ଧାରା ।

ପ୍ରଭୋ ! ଶାନ୍ତି-ବନବାସୀ ।

ନାହିଁ ଦ୍ରବ୍ୟ ପୂଜିବାକୁ ତୋତେ ଅବିନାଶୀ ।

 

 

 

(୩)

ପ୍ରେମିକ-ପ୍ରମପସରା ନିର୍ଦ୍ଧନ ସଙ୍ଖାଳି,

ରୋଗୀ-ମୃତ-ସଞ୍ଜିବନୀ ତୁହି ବନମାଳୀ ।

ବୀର୍ଯ୍ୟ, ହର୍ଯ୍ୟକ୍ଷ-ଶୂରର ।

ଯୋଗୀ-ମନଃ-ପଦ୍ମବାସୀ ପାଥେୟ ପାନ୍ଥର ।

 

(୪)

ମାତାରୂପେ ଜନ୍ମ ଦେଇ ପିତାରୂପେ ପାଳୁ,

ବାନ୍ଧିଅଛୁ ପ୍ରୀତିଡୋର ତୁହି ବାଲ୍ୟ-କାଳୁ,

ଭ୍ରାତା-ଭଗିନୀଙ୍କ ସଙ୍ଗେ ।

ଭାସୁଛନ୍ତି ସର୍ବେ ପ୍ରଭୋ ! ତୋ ସ୍ନେହତରଙ୍ଗେ ।

 

(୫)

ପ୍ରବଳପ୍ରତାପ ସିଂହାସନ-ଅଧିକାରୀ,

ରାଜାରୂପେ ଶାସୁ ଧରା ତୁହି ଦଣ୍ଡଧାରୀ ।

ପୁଣି ପରଜା ରୂପରେ,

ରାଜାଜ୍ଞା-ଅବଜ୍ଞା-ଦଣ୍ଡ ଭୋଗୁ ଏ ଭବରେ ।

 

 

 

 

(୬)

ଷଡ଼ଋତୁ ତୋ’ ଆଜ୍ଞାରେ ଏ ଧରା ପରଶି,

ନବ ନବ ବେଶେ ମଣ୍ଡି ଯାଉଛନ୍ତି ହସି-

ପ୍ରଭୋ! ତୋତେ ଶୋଭାରାଣୀ,

କି ଆନନ୍ଦେ ପୂଜେ କହିବାକୁ ନାହିଁ ବାଣୀ ।

 

(୭)

ଋଷି ସମ ବସିଛନ୍ତି ଅଚଳ ଭୂଧର,

ଧ୍ୟାନ ଯୋଗେ ମୌନ କିବା ହୋଇ ନିରନ୍ତର !

ଗାଇ ତୋହରି ମହିମା ।

ନିରେକ୍ଷି ନୀରବ ସ୍ୱରେ ତୋ ଚାରୁ ଗରିମା ।

 

(୮)

ଅନନ୍ତ ସମୁଦ୍ରସଙ୍ଗେ ଅନନ୍ତ ଆକାଶ,

ସୃଷ୍ଟିକାଳୁଁ ପରକାଶି ନିଜର ବିକାଶ,

ପ୍ରଭୋ ! ପରସ୍ପରେ ଚାହିଁ,

ଧରି ନାନା ଶୋଭା ଗୁଣ ଯାଉଛନ୍ତି ଗାଇ ।

 

(୯)

କଳରବ-ଝଙ୍କାରିତ ସରିତ-ନିଚୟ,

ତୋ’ ମହିମା-ଗାନେ ହୋଇ କି ଉଲ୍ଲାସମୟ,

ପ୍ରଭୋ ! ଭଜନ୍ତି ପୁଲକ !

ଲଭି ଜଳନିଧି ଯେହ୍ନେ ତୋତେ ତୋ’ ସେବକ ।

 

(୧୦)

ଭବ-ପାପ-ପଙ୍କୁ ଉଠି ତୋ’ ଭକ୍ତ-କମଳ

ରବିସମ ଦରଶନେ ତୋ’ ମୁଖ-ମଣ୍ଡଳ;

ପାଇ ଧାରା ସୁଧାମୟ,

ବଇକୁଣ୍ଠ ସମ ମଣେ ସଂସାର-ନିରୟ ।

 

(୧୧)

ଭବ-ମରୁ ପଥିକ ମୁଁ କାହିଁ ଅଛି ଜଳ ?

ନାଚୁଅଛି ମରୀଚିକା ଅଗ୍ରେ ମୋ’ କେବଳ ।

କିଏ ଦେଖାଇବ ରାହା,

ସଂସାରେ କେ ଅଛି ତୋହ ବିନୁ ଅନ୍ୟ ସାହା ।

 

(୧୨)

ସ୍ତୁତିବାକୁ ଶିଖି ନାହିଁ, ନାହିଁ ଜ୍ଞାନ-ଚକ୍ଷୁ ।

ଢ଼ାଳି ଦିଅ ଶାନ୍ତି-ଜଳ ବହନ ଅଲକ୍ଷ୍ୟୁଁ,

ପ୍ରଭୋ! ଏ ପୋଡ଼ା ପରାଣ,

ସେହି ଶାନ୍ତି-ନୀରେ ହେଉ ସଦା ଭାସମାନ ।

 

(୧୩)

ଛାଡ଼ି ନାହିଁ ଚପଳତା ଚଞ୍ଚଳ ସ୍ୱଭାବେ,

ମାନବେ ଭବେ ଲଭନ୍ତି ତୋତେ କେଉଁ ଭାବେ ?

ପ୍ରଭୋ ! କିଏ ଦେବ କହି ?

କାହିଁଗଲେ ତୋତେ ଲଭି ନ ହେବି ମୁଁ ଦହି ?

 

(୧୪)

ଏ ଜୀବନ-କରତା ତୁ କରିପାରୁ ସର୍ବ,

ତୋହ ଗୁଣ ଗାଇ-ହେଉ ଏ ଜୀବନ ଖର୍ବ ।

ନମୋ ନମୋ ହେ ଅଦେହି !

ଅନ୍ତେ ମୋତେ ସତ୍ୟ-ପଥ ଦେଖାଇବ ନେଇ ।

 

ସମ୍ପୂର୍ଣ୍ଣ